Unknown

 

 

 

 

 

 

 

 

 

 

ଭୂପତି ଚଉତିଶା

ଉପେନ୍ଦ୍ର ଭଞ୍ଜ

 

ଭୂପତି ଚଉତିଶା

 

କହଇ ଦୁତୀ ରାଧିକା କର ଧରି ଶ୍ରୀକୃଷ୍ଣ ବିରହ-ଦୁଃଖ ।

କେଉଁ ଦୋଷକୁ ରୋଷ କର କାନ୍ତକୁ ହେଲୁ ତୁ ଏଡ଼େ ବିମୁଖ ।।

କେ ସେ କାହାକୁ କେତେ ଦୂର ଅନ୍ତର ଏହା ନା ବିଚାରୁ ମନେ ।

କଞ୍ଜ କୁମୁଦ କାନ୍ତ ରବି ଚନ୍ଦ୍ରମା ବୋଲନ୍ତି ଜଗତଜନେ ।।

କାନକଟା କୀଟ କା କାନ କାଟିଛି କେହି ନ କରେ ବିବେକ ।

କଳଙ୍କ ଦିଅନ୍ତି ଅକଳଙ୍କ ଜନେ ଏହିମତି ଅବିବେକ ।।

କଲହେଁ ଦୋଷ ନିଜ ଦାସେ କରିବା ଭୟ ଦେଖାଇ ସଦୟେ ।

କଠିନ କୋମଳ ବାହାର ଅନ୍ତର କଉଦରୀ ଫଳ ପ୍ରାୟେ ।।

ଖଣ୍ଡହିଁ ଖଣ୍ଡନ କରେ ପ୍ରାଣୀ ପ୍ରାଣ କୋଚିଳା ସଙ୍ଗତେ ଯତି ।

ଖାଉଥାଇ ଯେହ୍ନେ କୁଭକ୍ଷ କୋକିଳ ବାୟସ ବସାରେ ପଡ଼ି ।।

ଖଚହିଁ ଭଲ ଭଲଲୋକେ କହନ୍ତି କ୍ଷିତିପତି ଆଶ ଚାହିଁ ।

କ୍ଷୀରସମୁଦ୍ର ସଙ୍ଗମେ ଗଙ୍ଗା ଯେହ୍ନେ ଲବଣଭାବକୁ ବହି ।।

କ୍ଷୀର ନୀର ଯେହ୍ନେ ଅଭେଦ ପୀରତି ଖାର ମିଶିଯାଏ ଛିଡ଼ି ।

ଖଚ ଗୋବିନ୍ଦ ବିଷୟରେ ଶୁଣିଲେ ଗୁରୁ ପ୍ରଭୁଙ୍କୁହିଁ ଛାଡ଼ି ।।

ଖଣ୍ଡିଏ ଲେମ୍ବାଉ ମିଶିଲେ କର୍ପୂର ପଇଡ଼ ଗରଳ ସରି ।

ଖଳମନ୍ତ୍ରୀ ବୋଲେ କ୍ଷଣକେ ନାଶିଲା ମାନଗୋବିନ୍ଦର ଶିରୀ ।।

ଗୁପତ ଗାଢ଼ ପୀରତି ଦୂର କଲୁ କଟାକ୍ଷ ଥାଉ ତୋ ଦୂରେ ।

ଗ୍ରୀଷମଋତୁ ରବି ପ୍ରାୟେ ପଦ୍ମକୁ ରାଗେ ନ ଚାହିଁଲୁ ଗାରେ ।।

ଗାଳିହିଁ ଦେଇ କଥାଏ ନ କହିଲୁଗୋବିନ୍ଦ ଏହି ତା ଘୋଷେ ।

ଗର୍ଜ୍ଜନ ବଜ୍ରଘାତ ସହେ ଚାତକ ଜଳଟୋପିକର ଆଶେ ।।

ଗୁଣଗ୍ରାହୀ ହୋଇ ଦୋଷଗ୍ରାହୀ ହେଲୁ ଭଙ୍ଗ ତୁ ହେଲୁ ମଣ୍ଡୁକ ।

ଗାଢ଼ ସମ୍ପଦ ବୁଡ଼ି ପୋଡ଼ି ଗଲେହେଁ କେ ଛାଡ଼େ ପାଣି ପାଚକ ।।

ଗଣ୍ଠି କଲା ହରି ପୀରତି ହୀରା ତା ଅଭଙ୍ଗ ଅପୁରାତନ ।

ଗଳାରେ ରଖୁ ରଖୁ ହେଲା ମଳିନ ସ୍ଫଟିକମାଳା ଯେସନ ।।

ଘୃଣକ୍ଷର ପ୍ରାୟେ ଦୋଷ ଯେବେ ହେଲା ଘେନିଥିବୁ ନିକି ଚାହିଁ ।

ଘଷି କଷି ହେମ କିଣିଲେ ତାହାକୁ କମାରଶାଳେ କି ଦାହି ।।

ଘୋଷୁଥାଇଁ ତୁମ୍ଭ ଦୁହିଁଙ୍କ ପୀରତି ସୁଧାସିନ୍ଧୁ ଅପ୍ରମିତ ।

ଘଡ଼ିକେ କୁମ୍ଭଜ ପ୍ରାୟେ ଚଳୁ କରି ଆଚମନ କଲୁ ତୁତ ।।

ଘେନିଥିଲୁ ଚିତ୍ତେ ଚେତାଇଲା ଚିତା ସମାନ କରି ଯାହାକୁ ।

ଘଡ଼ିକେ ଘେନିଲା ଫୁଲ ପ୍ରାୟେ କଲୁ ଏଡ଼େ ଅନ୍ତର ତାହାକୁ ।।

ଘଟଜଳରେ ଚନ୍ଦ୍ରବିମ୍ବ ପରାୟେ ଘେନାଘେନି ଅନୁଭବୀ ।

ଘଡ଼ି ଅର୍ଦ୍ଧକେ ତେଡ଼େ ରାଗ ବୁଡ଼ିଲା ଯେସନେ ପଶ୍ଚିମରବି ।।

ଉର୍ଦ୍ଧ୍ୱନିଶ୍ୱାସ ଛାଡ଼ି କୃଷ୍ଣ କହିଛି କଳା ବୋଲି ଅବା ମୋତେ ।

ଅନ୍ତର କଲା ଏତେଦିନେ ଗଉରୀ ଅଣହେଳା କରି ଚିତ୍ତେ ।।

ଅମିୟକର ଅଙ୍କରେ କିସ ଦିଶେ ଉମାପତି କଣ୍ଠେ କିସ ।

ଅଙ୍ଗୀକାର କରି ମହତ ନ ଛାଡ଼େ ହେଲେହେଁ କଳଙ୍କ ବିଷ ।।

ଏହି କଥା ତାର ଛାମୁରେ ଦୂତୀ ତୁ କହିବୁ ବିନୟ କର ।

ଅଙ୍ଗୁଳ ଅଧିକ ହେଲେହେଁ ଅଶୋଭା ହସ୍ତନିକି ପରିହରି ।।

ଉରଗ ଶାବକ ପୋଷି ନ ବିନାଶି ଅନୁଗତଜନେ ବଧ ।

ଆଖି ପରା କଳା କିପାଇଁ କରିଛୁ କଳଙ୍କ ଭୂଷଣେ ସଧ ।।

ଚତୁରବର-ଚିତ୍ତଚୋର-ଚାତୁରୀ ତୋ ଆଗେ ଚତୁରକଥା ।

ଚଣ୍ଡକର ଆଗେ ଖଦ୍ୟୋତ କିରଣ ପ୍ରକାଶ କରିବା ଯଥା ।।

ଚାମୀକର ଚୋଖ ଚହଟ ଚିକ୍କଣ ପରଶ ଆଗେ କହିବା ।

ଚିନ୍ତାମଣି ଆଗେ ପରଶ ପ୍ରଶଂସା ଯେସନେ ନ ପାଇ ଶୋଭା ।।

ଚନ୍ଦ୍ରକୁ ଯେସନେ କ୍ଷୀରସିନ୍ଧୁ ମୀନ ଜଳଚର ସଙ୍ଗେ ଗଣି ।

ବେତନାହୀନେ ଆମ୍ଭେ ତୁମ୍ଭେ ଦୁହିଁଙ୍କି ଗୋପସୂତା ସୂତ ମଣି ।।

ଚତୁର୍ଦ୍ଦଶ ଲୋକେ ଯେଉଁ ଦୁହିଁଙ୍କର ଉପମା ଦେବାକୁ ନାହିଁ ।

ଚହ୍ଲାବିକାଳୀଗୁଆଳୀ ଗଉଡ଼ୁଣୀ ଆମ୍ଭେ ତା ଜାଣିବୁଁ କାହିଁ ।।

ଛଇଳ ପ୍ରାଣ ପବନ ପନ୍ନଗ ତୋ ମାନ ଜାଣି କଲୁ ଯହିଁ ।

ଛେଳି ପୋଷିଲାରୁ ଜାଣିଲି ମାଳିର ଫୁଲରେ ଶରଧା ନାହିଁ ।।

ଛପନକୋଟି ଜୀବଙ୍କର ଜୀବନ ପାଣି ପବନତ ଜାଣି ।

କ୍ଷଣକେ ସୁପଥ ପଙ୍କିଳ ପ୍ରଦୀପ ନାଶ ଦୋଷ ନିକି ଘେନି ।।

ଛ-ଦଶକଳା ସମ୍ପୂର୍ଣ୍ଣ ଚନ୍ଦ୍ର ଉଦେ ସକଳ ନେବ ସମ୍ପତ୍ତି ।

କ୍ଷୀଣ ନଳୀନ ଦୋଷେ ନିକି ନିନ୍ଦିବା ସଜନି ! ରଜନୀପତି ।।

କ୍ଷଣେ କ୍ଷଣେ ସବୁ ଯୁମନାମାନଙ୍କ ମନ ମୋହେ ମଧୁକର ।

ଛାଡ଼ିଲା ଚମ୍ପା ଏହି ଦୋଷେ ନିନ୍ଦିବା ରସିକ ନୁହେ ଭ୍ରମର ।।

ଜଳ ମୀନ ପ୍ରାୟେ ଏକାଙ୍ଗ ପୀରତି ଯାହା ଦେଖିଛ ସ୍ୱରୂପ ।

ଜୀବନତ୍ୟାଗୀ ମୀନ ଜଳ ଅନ୍ତରେ ଜଳର କି ଭୂରୁକ୍ଷେପ ।।

ଜଳଜ ପଙ୍କ ଛାଡ଼ିଲେ ପ୍ରଫୁଲ୍ଲିତ ନୁହେ ପଦ୍ମବନ୍ଧୁ ଦେଖି ।

ଜୀବନଦାତା ଜୀବନଗ୍ରାହୀ ହେଲେ କେ ପାରେ ଜଗତେ ରଖି ।।

ଜୂତକାର ଯେହ୍ନେ ପରଧନ ଲୋଭେ ଯତନେ ହରାଇ ମୂଳ ।

ଯୁବତୀ ଷୋଳସହସ୍ର ମଧ୍ୟେ କୃଷ୍ଣ ତୋ ବିନୁ ଅତି ଆକୁଳ ।।

ଜାହ୍ନବୀ ଆଦି ନାନା ତୀର୍ଥଜଳର ନିକଟେ ଥାଇ ଚାତକ ।

ଜଳଦଜଳ ଟୋପି କି ଆଶା କରି ଅବିରତରେ ତୃଷିକ ।।

ଝାସଲ ଯେସନେ ପତଙ୍ଗ ପ୍ରଦୀପେ ସ୍ୱରୂପ ଦେଖି ଲୋଚନେ ।

ଝଳଇ ଚିତ୍ତ ପରବଧୂ ସଙ୍ଗତେ ମହତ ହତ ଚେତନେ ।।

ଝାଡ଼କୂପେ ଯେହ୍ନେ ମିଥ୍ୟା ବୀରରସେ ମୃଗରାଜ ମଲା ବୁଡ଼ି ।

ଝାଡ଼ମୃଗ ଯେହ୍ନେ ଶର ନ ହେଜିଲା ଶ୍ରବଣ ଲାଳସେ ପଡ଼ି ।।

ଝସ କୃଷ୍ଣକୁ ତୋ ଅଧରୁ ଆହାର କଟାକ୍ଷ କଣ୍ଟା ପୂରୋଇେ ।

ଝସକେତନ ହାତେ ଦେଲୁ ବିରହ ବଡ଼ସୀ ଛାଟିକା ନେଇ ।।

ଝରଇ ନେତ୍ର ସରସଦାରୁ ଯେହ୍ନେ ଅଧିକ ପଡ଼ି ପାବକେ ।

ଝିମିଣ୍ଟେ ଉପ୍ରୋଧ ନ କରି ନାଶୁଛୁ ଚିହ୍ନା ଖଣ୍ଟା ପ୍ରାୟେ କିକେ ।।

ନାରୀ ନଦୀ ନିଆଁ ନାଗ ନରେଶଙ୍କୁ ନିରନ୍ତରେ ଥିବ ଦକା ।

ନିମିଷମାତ୍ରକେ ଉପ୍ରୋଧ ଛାଡ଼ି ଏ ନିଶ୍ଚୟେ କରନ୍ତି ଡ଼କା ।।

ନୟନ ପିତୁଳୀ ଦୁହେଁ ଦୁହିଁଙ୍କର ନିମିଷାର୍ଦ୍ଧ ହରଶନେ ।

ନିଶ୍ଚେ ଜାଣିଲି ତୁମ୍ଭ ତାଙ୍କ ପୀରତି ଚନ୍ଦ୍ର ଚକୋର ଯେସନେ ।।

ନିଷ୍ଠୁର ନିର୍ଦ୍ଦୟ ନାରୀଙ୍କ ହୃଦୟ ପୁରୁଷବିଷାଦ ସୀମା ।

ନଳ, ରାବଣ, ବାଳି, ବାଣ, ରୁକ୍ମଣ, ଇନ୍ଦ୍ର, ଚନ୍ଦ୍ର, ବିଷ୍ଣୁ, ବ୍ରହ୍ମା ।।

ନାଗରୀମାନେ କାହାକୁ କି ନ କଲେ ରୁଧିରେ ବାନ୍ଧିଲେ ଜୂଡ଼ା ।

ନାଗ ନାରାଚ ନାରୀ ଯେଡ଼େ ସୁନ୍ଦର ତେଡ଼ିକହିଁ ଘରବୁଡ଼ା ।।

ଟାଣ କହୁଥାଉ ଅଟଳ ପରାୟେ ନ ଟଳିବ ଆମ୍ଭ ଚିତ୍ତ ।

ଟିକାକେ ମାନ ମହତ୍ତ୍ୱ ପତିବ୍ରତ ଟାଳିବ ମୂରଲୀ ଗୀତ ।।

ଟାଣ କରି କେବା ତୋ ନାମ ଧରିବ ରଜାର ଉଚ୍ଚାର ଶୁଣି ।

ଟଙ୍କଧରପର ଅବଶେ ପଡ଼ୁଛି ଟୋପ ଟିକର ନ ମଣି ।।

ଟଳଟଳ ହୋଇ ଟଳି ପଡ଼ୁଛନ୍ତି ଦେହରେ ଚେତନା ନାହିଁ ।

ଟିକାଏ ଚେତ ମୂରଲୀହାତ ହେଲେ ଦୂତୀ ଯାଏ କଥା କାହିଁ ।।

ଟାଙ୍ଗଣା ମିଶାଇ ଝାଳି ଦେବା ଯାଏ ହେମକମ ଏକଲୀନା ।

ଟେକି କହୁଥାନ୍ତି ନାଉରୀକି ଭାଇ ପାରି ହେବା ଯାଏ ସିନା ।।

ଠକଶିରୋମଣି ରମଣୀମଣି ତୁ ଠାବକଲି ସେହିଦିନୁ ।

ଠାରି କୃଷ୍ଣକୁ ବୃନ୍ଦାବନେ ରମିଲୁ ରତିଚିହ୍ନେ ଚିତ୍ର ତନୁ ।।

ଠେସିଁ କହିଲୁ କେତକୀ କଣ୍ଟକ ଏ ଠିକ ନଖ-ରେଖ କୁଚେ ।

ଠୁଳେ ଲାଜ କରି ଲୁଚାଇଲେ ନିକି ଧାଈକି ନିତମ୍ବ ଳୁଚେ ।।

ଠାକୁରାଣୀ ବଡ଼ ହେଲେହେଁ ସାନ ତୁ ମୋ କୋଡ଼ର ହେବା ଭଳି ।

ଠକକଥା ଏତେ କାହୁଁ ତୁ ଶିଖିଲୁ କାଲି ଧୂଳିଖେଳାଉଳୀ ।।

ଠାବେ ଠାବେ ତୋର ପାଦପଦ୍ମ ଚିହ୍ନ ବାଲିକୁଦରେ ଅନାଇଁ ।

ଠୁଳ ପ୍ରେମଭରେ ଅନଙ୍ଗଆତୁରେ ଚୁମ୍ବନ ଦିଏ କହ୍ନାଇଁ ।।

ଡ଼ାହୁକହେମାଙ୍ଗୀ କୃଷ୍ଣଚଉପାଶେ ଡ଼େରି କୁଚକୁମ୍ଭ ଉଭା ।

ଡ଼ମରୁସରୁମଧ୍ୟା ଚାରୁନିତମ୍ବା ବସନ ଭୂଷଣେ ଶୋଭା ।।

ଡ଼ୋଳେ ମୃଗ-ମୀନ-ଖଞ୍ଜନ-ଗଞ୍ଜନା ରଞ୍ଜି ନ ପାରିଲେ ଚିତ୍ତ ।

ଡେରିଲା ରତ୍ନପଞ୍ଜରୀ ମଧ୍ୟରେ ଯେ ପଡ଼ିଲା କୋକିଳ ମତ ।।

ଡାଳେ ଶୁଖିଲା ପଲ୍ଲବ ପ୍ରାୟେ ତନୁ ବିରହ ଉଗ୍ର ଅନଳ ।

ଡମରୁଧର ସମ କରୁଁ ମଦନ ରହୁନାହିଁ ନେତ୍ରଜଳ ।।

ଡେରି ଶ୍ରୁତି ଯାର ସଙ୍କେତସ୍ଥାନକୁ ଡର ଛାଡ଼ି ପଶୁ ବନେ ।

ଡଂଶିଲା ଅନଙ୍ଗ-ଉରଗ ଡାକିଲେ ଡାକ ନ ଶୁଣୁ ଶ୍ରବଣେ ।।

ଢଗଢ଼ମାଳି ସଙ୍ଗୀତ ଆଦି ରସ ଆରମ୍ଭ କରନ୍ତି ବାଳୀ ।

ଢାଳେ ଜଳ ନାହିଁ ସ୍ଥୂଳମୀନ ପରେ ମଧୁରସ ଯେହ୍ନେ ଢାଳି ।।

ଢୋକଇ ନାହିଁ ତୃଷିକ ଶାମୂକ ଯେ ଗଙ୍ଗାଦି ସୁପୁଣ୍ୟଜଳ ।

ଢାଳେ ସ୍ୱାତୀଜଳ ଆଶାରେ ଆଶାୟୀ ମନୋରଥ ମୂକ୍ତାଫଳ ।।

ଢଳହଳ ହୋଇ ଢାଙ୍କନ୍ତେ ଲୋତକ ପଡ଼ିଲା ପଦ୍ମନୟନେ ।

ଢାଳେ ବୋଝ କଥା ମଥା ସେ ଜାଣଇ ଢିରା ବାଡ଼ି ଆମ୍ଭେମାନେ ।।

ଢମ ପ୍ରାୟେ ମଣୁ ଏତେସରି ଶୁଣି ଢଳଇ ନାହିଁ ତୋ ମନ ।

ଢୋଲ ବଜାଇ କହୁଛି ମୋର ଦୋଷ ନାହିଁ ତୁ ଘେନି ନ ଘେନ ।।

ଆଣି ତୁଳାଅଂଶୁ ନାସାପୁଟେ ଦେଲେ ଚଳାଚଳ ସନ୍ଧି ଦେଖି ।

ଅଶ୍ରୁ, ନେତ୍ର ହୋଇ ଧାଇଁ ମୁଁ ଅଇଲି ମନ ତାଙ୍କ ପାଶେ ରଖି ।।

ଅଣହେଳା କଲେ ଆଉ ନ ପାଇଟି ଏବେ ତୁ ଚଳ ବହନ ।

ଅନଙ୍ଗବ୍ୟାଧିକି ଅମୋଘ ଔଷଧ ଅଧରପାନାଲିଙ୍ଗନ ।।

ଅନୁପାନ ଚାରୁଚନ୍ଦନ ତହିଁ କି ଆନ ଉପାୟ ନ ଦେଖି ।

ଆଣି ଲଗାଅ ନାଟିକା ରତିରସ ବଟିକା ଦେଇ ରେ ସଖୀ ।।

ଅନେକ ବାଳା ବୈଦ୍ୟ ବସିଅଛନ୍ତି ନ ପାରିଲେ ସାଧ୍ୟ କରି ।

ଏଣଅଙ୍କ ଏକ ବିନୁ ଉଡ଼ୁଗଣେ କେ ପାରେ ତିମିର ହରି ।।

ତୃଷା ତନୁତାପ ପାପ ହରଣକୁ ତିନିଧାର ତିନିପୁରେ ।

ତହୁଁ ଥାଇ ରାଜହଂସ ମନ ଯେହ୍ନେ ମାନସରୋବର ଠାରେ ।।

ତରଳମତି ଭୃଙ୍ଗ ସବୁ ପୁଷ୍ପରେ କ୍ଷଣେ କ୍ଷଣେ ମନ ବୋଧେ ।

ତୀକ୍ଷ୍ମଦାଢ଼ ଥାଉଁ ବନ୍ଦୀ ପଡ଼ଇ ସେ ପଦ୍ମିନୀ ପ୍ରେମ ଉପ୍ରୋଧେ ।।

ତିଳଫୁଲ ପ୍ରାୟେ ସ୍ନେହ ଜାଣିଥିଲି ତନୁ ଅନ୍ତରେଣ ଥିବ ।

ତୃଣ ତୁଷାର ସଙ୍ଗ ପ୍ରାୟେ କେ ଜାଣେ ରବି ଉଦୟରେ ଯିବ ।।

ତେଡ଼େ ମହାରାଜ ସମ୍ପଦରେ ରାମ ଦ୍ୱିତୀୟ ରାମା ନ କଲେ ।

ତହୁଁ ଅଧିକ ତୋର ବ୍ରତେ ବ୍ରତିକ ଗୋବିନ୍ଦ ଗୋପୀମଣ୍ଡଳେ ।।

ଥରେ ଚିତ୍ରଫୁଲ ଚୁମ୍ବିଲେ ଭ୍ରମର ଥୟ କର ତା ନ ଘେନି ।

ଥିଲା ଯେ ହେମପ୍ରତିମା ରାମ ପାଶେ ସେ କି ସୀତା ସପତଣୀ ।।

ଥାଣୁର ଉମା ବାହିଯ୍ୟ ଅର୍ଦ୍ଧଅଙ୍ଗ ଥାଇ ବ୍ରହ୍ମଭାଗେ ମନ ।

ଥୟ କଲି କୃଷ୍ଣ ବାହାର ଅନ୍ତରେ ତୋର ରୂପ ଲୟେ ହୀନ ।।

ଥୁଆ ସୁତ ସଙ୍ଗେ କ୍ଷୀର ଥାଇ ଯେହ୍ନେ ତମ ପ୍ରଦୀପ ପଛରେ ।

ଥାଇ କଜ୍ଜ୍ୱଳ ସବୁ ବାମା ନୟନେ ସ୍ଥିତ ଶିଖି ଶିଖା ପରେ ।।

ଥିବ କି ନାହିଁ ମନରୁ ପାଶୋରିଲୁ ଥିଲୁ ରସି ବିପରୀତେ ।

ସ୍ଥକିତ ହେଲୁ ଗବାକ୍ଷମାର୍ଗେ ଚାହିଁ କୃଷ୍ଣ ସୁବଳ ସଙ୍ଗତେ ।।

ଦାଣ୍ଡରେ ଦେଖୁ ପୁଣି ଦେଖୁ ପଲଙ୍କେ ଦୁଇ ରୂପ ଏକ ଦେହ ।

ଦୟିନୀ ହୋଇ ପଚାରିଲୁ କୃଷ୍ଣକୁ ଏ କି ଅଲୋକିତ କହ ।।

ଦରହସିତେ କୃଷ୍ଣ ବୋଲେ ସୁବଳ ଇଚ୍ଛାକଲା ମୋର ଭେଟ ।

ଦର୍ଶନ ଦେଲି ତା ଇଚ୍ଛାରୁ ପ୍ରକଟି ଦାଣ୍ଡରେ ଦେଖ ପ୍ରକଟ ।।

ଦଇବେ ଦିଗମ୍ବରଙ୍କୁ ଅଗୋଚର ମୁଁ ଥାଇଁ ତୋ ସ୍ନେହ ଯଡ଼େ ।

ଦୁଧ ଦେବାକୁ ଯଶୋଦା ଇଚ୍ଛା କଲେ ଅଛି ମୁଁ ତାହାଙ୍କ କୋଡ଼େ ।।

ଦଧି ସର କୃଷ୍ଣ ଚୋରାଇ ଖାଇବେ ଦକା କଲା ବୃନ୍ଦା ମନେ ।

ଦକାରୁ ପ୍ରକାଶି ଦଧି ଖାଉଛି ମୁଁ ଦେଖ ଯା ତାର ଭୁବନେ ।।

ଧରି ନ ପାରନ୍ତି ଦୟାଳୁ ଭୟାଳୁ ଧାତା ଧର୍ମି କର୍ମିମାନେ ।

ଧାଇଁ ମନୋରଥ ଦେଇ ମୁଁ ଆସଇ ଧରା ନ ପଡ଼ଇଁ ତେଣେ ।।

ଧାତିକାରେ ଯାଇଁ ଆଭାସଇଁ ଯେହ୍ନେ ସ୍ୱରୂପ ରୂପ ମୁକୁରେ ।

ଧ୍ରୁବ ଜାଣ ତୋର ବିନୁ ମୋର ଆନ ନାହିଁ ସେହି ପରକାରେ ।।

ଧଇର୍ଯ୍ୟ ଧରି ସଂଶୟ ଦୂର କରି ଯେଉଁ ସୁଖ ଜାତ କଲୁ ।

ଧୋଇଲା ମାହୁନ୍ତ କରିଣ ପରାୟେ ପୁଣି ଧୂଳି ମଣ୍ଡି ହେଲୁ ।।

ଧନ୍ୟ ଯେ ଧନ୍ୟ ତ୍ରିଭୁବନେ ଅଟୁ ତୁ ଧିକ କହିବା ଆମ୍ଭର ।

ଧାତା ଧୂର୍ଜଟି ଧ୍ୟାନେ ଯେ ଆଗୋଚର ସେ ଧ୍ୟାନ କରୁଛି ତୋର ।।

ନାରାଚ ପରାୟେ ଯେତେ ଓଟାରିଲେ କେତେହେଁ ଯାଉଛୁ ଦୂର ।

ନିଏ ପ୍ରାଣ ଶର ଧନୁ ଯେତେ ନୁଏଁ ନାରୀଏ ସେହି ପ୍ରକାର ।।

ନରେନ୍ଦ୍ର ପ୍ରାୟେ ଅନୁଗ୍ରହ ନିଗ୍ରହ ଅଧିକ ତୋର ସୁନ୍ଦରୀ ।

ନୟନ ଶୋଭା ହେମ ଲୋହ ଚିତ୍ରରେ ନୁହଇଁ ବିପଦ ତରି ।।

ନିଦାନ ଜ୍ୱରନାଡ଼ୀ ତୁ ଅଟୁ ନାରୀ ଛାଡ଼ି ଛଡ଼ାଇବୁ ପ୍ରାଣ ।

ନିଜ ଶଯ୍ୟା ଛାଡ଼ି ଅବନୀଶୟନ ଗଙ୍ଗଶିଉଳୀ ଯେସନ ।।

ନବଅଙ୍କୁର ରବି କରେ ଶୁଖିଲେ କି କରିବ ଘନରସ ।

ନଦୀସ୍ରୋତରେ ଭାସିଗଲା ଉତ୍ତାରେ ନାବେ ପ୍ରୟୋଜନ କିସ ।।

ପୀରତିପଥେ ପାଦ ଦେଲେ ପ୍ରମାଦ ପରମାନନ୍ଦ ସମାନ ।

ପ୍ରଥମ ପାବଚ୍ଛ ରେଣୁ କରି ରଖେ ପ୍ରତିଷ୍ଠା ମହତପଣ ।।

ପିତା ପତି କୁଳ ଲାଜ ଲଘିଂ ଯାଇ ଉଚ୍ଛିଷ୍ଟପତର ମତ ।

ପାଣ୍ଡବ ପଶାଖେଳ ପ୍ରାୟେ ହାରଟି ନିଜ ସମ୍ପଦ ସହିତ ।।

ପରପୁତ୍ର ସଙ୍ଗେ ପରପୁତ୍ରୀ ଯେହ୍ନେ ପାଉଁଶ କରଇ ଦେହ ।

ପିଣ୍ଡ ପ୍ରାଣ ପୃଥ୍ୱୀ ପ୍ରତିଷ୍ଠା ଲୋଡ଼ିଲେ ସେ କିପାଁ କରେ ସେନେହ ।।

ପୀରତି ପ୍ରତିପାଳି କରି କାମିନୀ ଉପକାନ୍ତ କୋଳେ ନାହିଁ ।

ପ୍ରଥମା ଦ୍ୱିତୀୟା ଶଶୀ ଆଦରତା ତୃତୀୟା ଦିନକୁ ନାହିଁ ।।

ଫଣୀମଣିଧର ଦକ୍ଷିଣାବର୍ତ୍ତକ ଶଙ୍ଖ କୋଟିକରେ ଏକ ।

ପାଇ ରୂପବତୀ ଗୁଣଜ୍ଞ ଯବତୀ ଅନେକ ଦୁର୍ଲ୍ଲଭେ ଏକ ।।

ଫଳ ମହାକାଳ ସୁରଙ୍ଗ ଖାଇକି କଲେହେଁ ଉପାସ ତିନି ।

ଫୁଲଶିମିଳୀ ପଦ୍ମାକାର ସୁନ୍ଦର ତା ନିକି ମଥାରେ ଘେନି ।।

ଫଳ ପୂର୍ଣ୍ଣ କରି ଟାଣ ଗୁଣେ ଧରି ନାୟକ ସାୟକ ବେନି ।

ଫାଟି ଫୁଟି ଆସି ପୁଣି ଗୁଣେ ବସି ତେବେ ସେ ଧନୁକି ଧନୀ ।।

ଫୁଙ୍କିଲେ ମଳିନ ମକୁର ଯେସନେ ଫୁଲା ନାଗରୀଙ୍କ ଚିତ୍ତ ।

ଫେରାଇଲେ ପିଠି ପ୍ରୀତି ପ୍ରତିବିମ୍ବ କୋଳ କଲେ ବିପରୀତ ।।

ବୀଜରୁ ବୃକ୍ଷ ବୃକ୍ଷରୁ ବୀଜ ଯେହ୍ନେ ବେଦୁଁ ବ୍ରହ୍ମ ବ୍ରହ୍ମୁ ବେଦ ।

ବାରିରୁ ବାରିଧି ବାରିଧିରୁ ବାରି ବେନିରୂପ ଏକଭେଦ ।।

ବିଧୂ ବିଭାବରୀ ବିଭାବରୀ ବିଧୂ ବେନି ସଂଯୋଗରେ ଶୋଭେ ।

ବାହାର କରେ କେ ଅଧମ ସୁବର୍ଣ୍ଣ ଶାଳଗ୍ରାମ ଗର୍ଭ, ଲୋଭେ ।।

ବିପ୍ରପାଦଚିହ୍ନ ପ୍ରାୟେ ବନମାଳୀ ଅଛାଡ଼ କରିଛି ତୋତେ ।

ବିଶ୍ୱନାଥ ଅର୍ଦ୍ଧଅଙ୍ଗରୁ ଅମ୍ବିକା ଅନ୍ତର କଲା ପ୍ରତୀତେ ।।

ବଡ଼ ଖଣ୍ଡାରୁ ପ୍ରଖର ଖଳବାଣୀ ବୁଝିଲି ମୁଁ ବର୍ତ୍ତମାନେ ।

ବାରି ବେନି ଖଣ୍ଡ ଛାଇକି ଛଖଣ୍ଡ କରନ୍ତି ବଚନବାଣେ ।।

ଭଲ ମନ୍ଦ ଭାଷା ନ ବୁଝି କରି ଯେ ଭଲଲୋକ ବୋଲାଉଛି ।

ଭବ ନିନ୍ଦା କରି ଭବାନୀ ଅଗ୍ରତେ ବ୍ରହ୍ମାହିଁ ନାଶ ଯାଇଛି ।।

ଭାବ ଅଭାବ କଲା ଲୋକ ଲାଭ ଗୋ ବୁଝ ତୋହରି ସମ୍ମୁଖେ ।

ଭାବ ଆଗେ ପଛେ ଅଭାବ କଲାକୁ ଭସ୍ମଟି ମୁକୁର ମୁଖେ ।।

ଭଲ କଲା ସେ ପ୍ରମଦା ମୟ ହେଲା ମାନ ଅନଳେ ସଂଯୋଗ ।

ଭଣେ ଭୂପତି ଦୁଗ୍ଧରସ ଅନ୍ତରେ ଅତି ସ୍ୱାଦୁ ସୁଖଭୋଗ ।।

ଭାଇ ବୋଲି ଚନ୍ଦ୍ର କିରଣେ କମଳା ନାରାୟଣ ସଙ୍ଗ ଛାଡ଼େ ।

ଭାଗେ ପଡ଼ିଛି ତୋହର ସୁଧାକର ଭୋଗ ଭଗବାନ କୋଡ଼େ ।।

ମୁଣ୍ଡ ଲଗାଇ ଚରଣ ଛୁଇଁ ଦୂତୀ ନିୟମ କରି କହିଲା ।

ମୂରଲୀଧର ଆତୁର ଏତେ ମୋତେ ତୁମ୍ଭେ ପାଦ ଛୁଁଆଇଲା ।।

ମୂର୍ଚ୍ଛିତ ଦଶାନନର ଶରାଘାତେ ଲକ୍ଷ୍ମଣ ହତ ଯେସନ ।

ମାନିନୀ ରମଣୀ ମୃତସଂଞ୍ଜିବନୀ ମିଳିଲେ ରହେ ଜୀବନ ।।

ମୋର ଯିବାଯାଏ ଜୀବନ ଅବଧି ମିଛ ନୋହେ ସତ ବାର ।

ମାନ ଛାଡ଼ ମଣିଚୂଡ଼ମୋକ୍ଷଣକୁ ମାର ମୁଖୁଁ ରକ୍ଷାକର ।।

ମଇତ୍ରଦ୍ରୋହ ଦୂରିତ ନିକି ନୋଦେ ବନାନଳ ବାରୁଦହେ ।

ମଣିମା ଶୁଣିମା ବୃଷଭାନୁଜେମା ନ ପଡ଼ ମଇତ୍ରଦ୍ରୋହେ ।।

ଯଶୋଦାସୁତ ଅଗ୍ରଜ ସଖାବୃନ୍ଦ ଯାର ପ୍ରିୟତମଗଣ ।

ଜଗଜ୍ଜୀବନ ସଙ୍ଗତେ ଜୀବ ଯିବ ତା ଦୁଃଖ ଘେନ ନ ଘେନ ।।

ଜାଣୁ ଶିରୋମଣି ରମଣୀମଣି ତୁ ଜାଣୁ ସବୁ ରସକଳା ।

ଯୋଗୀଲୋକଙ୍କୁ ଚଲଣାଚୋରୀ ଦୋଷ ମରଣହୁଁ ବଳିଗଲା ।।

ଜୟ ସଙ୍କେତ ଦୁର୍ଜ୍ଜୟମାନେ ଦୂତୀ ହ୍ରହାସ ଦର୍ଶନ କଲା ।

ଜଳ ସଙ୍କଟୁ ବ୍ରହ୍ମଜାତି ହୀରା କି ଛଟକେ ଝଟକ ଦେଲା ।।

ଯନ୍ତ୍ର ମନ୍ତ୍ରମଣି ମୁଳିକା ନ ମଣି ଯୁବାଭୁଜଙ୍ଗୀର ବିଷ ।

ଯତନେ ଜବରେ ସିଞ୍ଚି ଶାନ୍ତି କଲା ଦୂତୀ ବଚନପୀୟୁଷ ।।

ରୋଷ ସଙ୍ଗେ ଊର୍ଦ୍ଧ୍ୱନିଶ୍ୱାସ ଛାଡ଼ିଣ ରାଧା ମୁଖ ଟେକି କହେ ।

ରତିରସ ଆଶାଭ୍ରଷ୍ଟ କ୍ରୋଧାନଳେ ରସିକା ହୃଦୟ ଦହେ ।।

ରତ୍ନ ଚିନ୍ତାମଣି ପ୍ରତିବୋଧ ରଙ୍କେ ନ ଦେଇ କରିବୁ ତୋଷ ।

ରାଜୀବଚନ ଦହନେ କି ସଞ୍ଚିବୁ ସୁଧାକର ଯହିଁ ବିଷ ।।

ଜୁଆଇଁ ଜାରାପତି ରାଜା ଭଣଞ୍ଜା ଆପଣା କରି କେ ଜାଣେ ।

ରଙ୍କ ପୁରୁଣାରୁ ତାଟଙ୍କ ଦେଇଣ ଯେସନ ରତନ କିଣେ ।।

ରତିପତି ତାପ ପାପକଳଙ୍କେ ସେ ସର୍ବାଙ୍ଗ କଳା ହୋଇଲା ।

ରାଗ ହୃଦରୁ ବାହାରି ନେତ୍ର ଅନ୍ତେ କର ଚରଣେ ରହିଲା ।।

ଲକ୍ଷେକ କହିଲେ ଏକ ସତ ନୋହେ ସେ ଲୁଗାଚୋର ବଚନ ।

ଲାଜ ଥିଲା ଲୋକ ମାଧବ ହେବ କି ଏହା ବିଚାରୁଛୁ ମନ ।।

ଲଘଂଇ ସବୁ ନିୟମ ମିଛ ତାର ଡାହାଣ ହାତହିଁ ମିଛ ।

ଲମ୍ପଟ କପଟ କଥାହିଁ ନ ଛାଡ଼େ ଛୁଁଅଇ ବାମା ଶ୍ରୀବତ୍ସ ।।

ଲତାସଙ୍କେତ ଦିନେ ମୋତେ ରଖି ସେ ଯାଉଛି ବୋଲି ନଇଲା ।

ଲାଗେ ଲାଗେ ପାଞ୍ଚଶର ପାଞ୍ଚଶରେ ପାଞ୍ଚ ପାଞ୍ଚ ଶୂନ୍ୟ ଦେଲା ।।

ଲଘୁଶିରୋମଣି ଉଭା ଆଶାୟୀ ମୁଁ ଲୋଭେ ଭିଡ଼ିଲ ତମାଳ ।

ଲୟେ ଥାଏ କଲି ଘନଶ୍ୟାମ ନୋହେ ବିଟପୀ ଘନଶ୍ୟାମଳ ।।

ବିଧୁମୁଖୀ ଚାହିଁ କ୍ରୀଡ଼ାଭର ହୋଇ ବୃକ୍ଷତଳେ ମୁଁ ଅବଶ ।

ବଧ କୋଟିବାର କଲା ପ୍ରାୟେ କଲା ବନିତାଙ୍କ ବିଧୂହାସ ।।

ବସନ ପାଲଟ ଯମଭଗ୍ନୀ ଭେଟ ବାଞ୍ଛାଲତା ସକାଶରୁ ।

ବିଚଳିତ ବନପଲ୍ଲବ ବଲ୍ଲଭ ବିଜେ ପଥ ଅନୂସରୁ ।।

ବିରହ ଚଷୁ ଅନଳେ ପଡ଼ିଲି ମୁଁ କା ଆଗେ କହିବି କିସ ।

ବିଟପ ପୁରୁଷ ରତିରସେ ଆଶ ପୋଡ଼ୁ ମୋ ବୟସ ବେଶ ।।

ବୃନ୍ଦାବନେ ଆଉ କ୍ଷଣେହେଁ ନ ଥିବି ଗୋପ ଛାଡ଼ି ଯିବି କେଣେ ।

ବନମାଳୀ ନାମ ରୂପ ଗୁଣ କୀର୍ତ୍ତି ପ୍ରସଙ୍ଗ ନ ଶୁଣି ଯେଣେ ।।

ଶୋକମୁଖ ହୋଇ ରାଧା ଏହା କହି ସ୍ୱର ଉଚ୍ଚ କଲା କୋହେ ।

ସେନେହ-ସିନ୍ଧୁ-ତରଙ୍ଗ ମାନ-ବାଲିବନ୍ଧରେ ସମ୍ଭାଳି ନୋହେ ।।

ସହି ନ ପାରି ସୁକୁମାରୀ କୁମାରୀ ଶୋକାକୁଳେ ମୋହ ଗଲା ।

ସହଚରୀ ସଙ୍ଗେ ଦୂତିକା ଅନେକ ଯତନେ ସଚେତ କଲା ।।

ସଜ ଯୁବ ସିତ କୁବଳଏ ଦଳ ଆଣି କଣ୍ଠେ ଲମ୍ବାଇଲେ ।

ଶକ୍ରଚାପ ଘନ ବିଦ୍ୟୁଲତାମାନ କି ଶୋଭା ଦେଖ ବୋଇଲେ ।।

ସଘତ ତମାଳ ସୂର୍ଯ୍ୟପୂତା ଜଳ ଭୃଙ୍ଗ ଇନ୍ଦୀବରମାଳା ।

ସଖି ଉଠ ଘେନି ପିନ୍ଧ ସୁପତନୀ ସମ୍ମୁଖେ ସଖୀ ଶ୍ୟାମଳା ।।

ଶ୍ୟାମଳାକୁ ଚାହିଁ ସ୍ନେହଭର ହୋଇ ଅଙ୍ଗ ପୁଲକେ ପୂରିଲା ।

ସୁଆଲିଙ୍ଗନ ସୁପ୍ରମୋଦ ବଚନ ଅଧର ଆସ୍ୱାଦ କଲା ।।

ଶରଦରାଜା ରଜନୀକର ଚାହିଁ ରାଧା ଦୂତୀଙ୍କି କହିଲେ ।

ଶୁକ୍ଳଅଭିସାର ସଜମୋତେ କର ନେତ୍ରାନ୍ତରେ ଆଜ୍ଞା ଦେଲେ ।।

ଶ୍ୱେତବସନ ସବୁ ଶ୍ୱେତଭୂଷଣ ସମୂହ ଶ୍ୱେତସୁମନ ।

ଶ୍ରୀଖଣ୍ଡଚନ୍ଦନ ଚନ୍ଦ୍ରମା ସହିତେ ସର୍ବାଙ୍ଗେ କଲେ ଲେପନ ।।

ଶ୍ରୀ ଗଜପତି ଭୂପତି କୀର୍ତ୍ତି ରସସିଦ୍ଧି ବିଷହିଁ ସଙ୍ଗମେ ।

ସାନନ୍ଦେ ଦୂତୀ ଘେନି ପ୍ରିୟଯୁବତୀ କୃଷ୍ଣଙ୍କୁ ହସି ପ୍ରଣାମେ ।।

ଶ୍ରୀରାଧା କୃଷ୍ଣ ସଙ୍କେତ ଭେଟି ରସ ସଂସାରେ ଉପମା ନାହିଁ ।

ଶତେ ଅଂଶେ ଲକ୍ଷ୍ମୀ ନାରାୟଣ ହେଲେ ସେ ସୁଖ ଲଭିବେ କାହିଁ ।।

ଶିବା ଶିବ ବ୍ରହ୍ମା ବ୍ରାହ୍ମଣୀ ଅନେକ ଶଚୀ ଇନ୍ଦ୍ର ରତି କାମ ।

ଶ୍ୟାମା ଶ୍ୟାମବନ୍ଧୁ ରତିସୁଖସିନ୍ଧୁ ବିକେ କେ ସରିସମ ।।

ସୁଖନଦୀ ସିନ୍ଧୁ ସଙ୍ଗମ ଅଭେଦ ସମାନ ଦେବାରେ ମନ ।

ସ୍ନେହକଳ୍ପଲତା ସ୍ନେହଲତାରୁ ଦୁହେଁ ଦୁହିଁଙ୍କି ସମାନ ।।

ସମ୍ପୂର୍ଣ୍ଣକୃଷ୍ଣ କାମନା ରାଧା କରେ ଶ୍ରୀକୃଷ୍ଣହିଁ ରାଧାଙ୍କର ।

ଶୂନ୍ୟ ଚେତ ରୂପେ ଦୂତୀ ରାଧାଆରେ ଶୂନ୍ୟଦେହ ଲତାନ୍ତର ।।

ହେମାଙ୍ଗୀ ଚତୁରୀ ଚେତନାରୁ କରି ହରି ସଙ୍ଗତେ ବିହାର ।

ହେଜିଲେ ଦେହ ହୋଇବ ସେହିପରି ହୃଦଦ୍ୱାରା ଗୋବିନ୍ଦର ।।

ହୁତାଶନ ପ୍ରାୟ ହରିଙ୍କି ମଣ ତୁ ଭାବ ବନ୍ଧନୁ ଉଦିତ ।

ହିରଣ୍ୟପୁତ ଅଭିରୀ ପୁତଙ୍କର ସ୍ତମ୍ଭ ମନରୁ ସମ୍ଭୂତ ।।

ହେଜି ନ ଆଣୁ ଭୂମିଚିତ୍ତ ଖୋଳା ତୁ ନିକଟେ ପଡ଼ିବ ଝର ।

ହୋଇ ତୃଷାକୁଳ ଗିରି ଶିଖ ଖୋଳି କେ ପାନ କରିଛି ନୀର ।।

ହେଲେ ନମ୍ରତା ବିନୟଭାବ ଭକ୍ତି ହତଗର୍ବ ସର୍ବ ହିତ ।

ହର ହୃଦ ପରିହର ହରି ଆସି ହୋଇବେ ତୋହରି ମିତ ।।

ଛିଡ଼ଇ ଗୁଣ ଟାଣ ଧନୁ ମଧ୍ୟରୁ ଛନ୍ଦି ନୂଆଇବାବେଳେ ।

ଛାର ଶାମୂକପଙ୍କ ପାନ ସହିତେ ନରେନ୍ଦ୍ର ମୂଖ କମଳେ ।।

ଛାଡ଼ କର୍କଶ ହୃଦ କର କୋମଳ ପ୍ରେମଅଙ୍କୁର ପ୍ରକାଶୁ ।

ଛନ୍ଦେ ମନକୁ ମୁକୁର ମଣ ତୁ ହରି-ପ୍ରତିବିମ୍ବ ଦିଶୁ ।।

ଛାଡ଼ ଧର ତୁ ଅସାଧୁ ସାଧୁସଙ୍ଗ ଗରଳ ଅମୃତଭୋଗ ।

ଛିଡ଼ଇ ବଢ଼ଇ ଶଶୀ ଶ୍ୟାମ ଶ୍ୱେତପକ୍ଷରେ ହେଲେ ସଂଯୋଗ ।।

ଛାଇ ଯେମନ୍ତ ଯେମନ୍ତକୁ ତେମନ୍ତ କ୍ଷମାନିଧି ସେହିରୂପ ।

କ୍ଷଣକେ ଭକତି ଭୂମିଦାନ ଦ୍ୟନ୍ତି କୃପା କଲେ ଭକ୍ତରୂପ ।।

Image